ଅଭାବୀ ସହର

ଭାରି ଅଭାବୀ ସହର ଇଏ।

ଏତେ କୋଳାହଳ ଭିତରେ ବି
ଅନୁଭୂତ ହୁଏ ଭୀଷଣ ଏକ ନୀରବତା
ଏତେ ରଙ୍ଗରେ ରଙ୍ଗାୟିତ
ଅଥଚ ସବୁ ଲାଗେ ଫିକା ଫିକା।

ନାହିଁ ନାହିଁର ସହରରେ
ସବୁ ଅଛି, ପୁଣି କିଛି ନାହିଁ।
ଯୁଆଡ଼େ ଦେଖ, ମଣିଷର ଭିଡ଼
ଅଥଚ ଭିଡ଼ ଭିତରେ ହଜିଯାଇଛି ମଣିଷ।
ଜୀବନ ଅଛି, ହେଲେ ସେ ନିର୍ଜୀବ
ସେ ଚଳିଷ୍ଣୁ, ହେଲେ ଜଡ।

ଖାଦ୍ୟ ଅଛି, ଭୋକ ନାହିଁ
ଭୋକ ଥିଲେ ଦାନା ନାହିଁ।
ସମ୍ପର୍କ ଅଛି, ଆତ୍ମୀୟତା ନାହିଁ
ପୁଣି କେବେ ଆତ୍ମୀୟତା ଥାଇ,
ସମ୍ପର୍କର କିଛି ପରିଚୟ ନାହିଁ।
ଠିକଣା ଅଛି, ପରିଚୟ ନାହିଁ
ପୁଣି ପରିଚୟ ଥାଇ ଠିକଣା ନାହିଁ।



ଭାବନା ଅଛି, ଭାଷା ନାହିଁ
କାହାଣୀ ଅଛି, କଥାକାର ନାହିଁ
କଳ୍ପନା ଅଛି, ରୂପ ନାହିଁ
ପୁଣି ରୂପ ଥିଲେ ରୂପକାର ନାହିଁ।


ଅଚଳାଚଳ ସମ୍ପତ୍ତି ଥାଇ କିଏ ଦରିଦ୍ର
ଆଉ କପର୍ତ୍ତକ ଶୂନ୍ୟ ହୋଇ ବି କିଏ ଧନୀ
ସବୁ ହରେଇ କିଏ ସବୁକିଛି ପାଇଯାଏ
ଆଉ ସବୁକିଛି ପାଇକି ବି କିଏ ରିକ୍ତହସ୍ତେ ରହିଯାଏ।

ସତରେ! ଭାରି ଅଭାବୀ ଏ ସହର।








Comments

  1. ଖୁବ୍ ସୁନ୍ଦର ହେଲେ ସେ ଅଭାବି ସହରଟା କେଉଁଠି

    ReplyDelete

Post a Comment