ଜୀବନ ତଥାପି ଅଛି ବାକି
ବଡ଼ବୋଉ; ପିଲାଦିନେ ଅନେକ ସମୟ ମୁଁ ବଡ଼ବୋଉ ସାଙ୍ଗରେ କାଟିଛି
। ଯେତେବେଳେ ବଡ଼ବୋଉ ପାଖରେ ବସିଯାଏ, ସେ କେତେ କଥା ଗପିଯାଏ ମୋ ଆଗରେ। ମୁଁ ସେମିତି ବସି ଶୁଣୁଥାଏ। ଆଜି ବଡ଼ବୋଉ ନଥିଲେ ବି ତା କଥାସବୁ ବେଳେବେଳେ ପ୍ରାୟ ଅଧିକାଂଶେ ମନେ ପଡିଯାଏ।
ଥରେ ସିଏ କହିଥିଲା, “ ଆତ୍ମହତ୍ୟା ମହାପାପ। କେବେ ଆତ୍ମହତ୍ୟା କରିବା ଅନୁଚିତ” । ଆଜି ଯେତେବେଳେ ଭାବେ, ଭାବେ କି କେତେ ସହଜରେ କଥାଟା କହିଦେଲା! ସବୁକିଛି ସବୁବେଳେ ସହିଯିବା କ’ଣ ସହଜ କଥା! ବେଳେବେଳେ କ’ଣ ଇଚ୍ଛା ହୁଏନି, ଏସବୁଠୁ ଦୂରକୁ, ବହୁ ଦୂରକୁ ଚାଲିଯିବା ପାଇଁ! ନା ଥିବ ଉପସ୍ଥିତି, ନା ଥିବ କଷ୍ଟ, ଯନ୍ତ୍ରଣା। ମଣିଷ ଥିଲେ ତ ଏତେସବୁ ସହିବ!
କିନ୍ତୁ ତା ପରେ କ’ଣ ହେବ! ପରର ସ୍ଥିତି ଭାବିଲେ ଲାଗେ, ଏଇଟା କ’ଣ ଥିଲା ସମାଧାନ! ମଣିଷ ଅପସରି ଗଲେ ସମସ୍ୟା ତ ଅପସରି ଯିବନି! ନିଜେ ହାରିଯିବା ସଙ୍ଗେ ସଙ୍ଗେ ଅନେକ ଭଲ ପାଉଥିବା ଲୋକ ବି ହାରିଯିବେ।
ଥରେ ଭାବି ଦେଖିଲେ! ଆପଣ ସବୁଦିନ କାମ ସାରି ଯେତେବେଳେ ଘରକୁ ଫେରନ୍ତି, ଘରେ କେହି ଜଣେ ଆପଣଙ୍କ ବାଟ ଚାହିଁ ବସିଥିବ। କେହି ଜଣେ ଅଖିଆ ଅପିଆ ଅନେଇ ବସିଥିବ, ଆସିଲେ ସାଙ୍ଗ ହୋଇ ଖାଇବ ବୋଲି। କେହି ଜଣେ ଆପଣଙ୍କୁ ନିଜର ଆଦର୍ଶ ବୋଲି ମାନୁଥିବ, ଆପଣଙ୍କ ଭଳି ନିଜକୁ ଗଢି ତୋଳିବାକୁ ଇଚ୍ଛା କରୁଥିବ। କେହି ଜଣେ ନିଜର ସର୍ବସ୍ବ ହରେଇ ଆପଣଙ୍କୁ ନିଜର ଜୀବନ ସର୍ବସ୍ବ ଭାବି ବଞ୍ଚିଥିବ। କିଏ ଆପଣଙ୍କ ଦେଇଥିବା ଉପହାରକୁ ଦେଖି ସବୁଦିନ ମନ ଖୁସି କରୁଥିବ। କେହି ଜଣେ ଆପଣଙ୍କୁ ଦେଖି ବଞ୍ଚିଥିବ, ଭାବୁଥିବ ଯେ କେହି ତ ଅଛି ଜୀବନରେ! କିଛି ଲୋକଙ୍କ ଦ୍ବାରା ଉପେକ୍ଷିତ ହେଲେ, ଆଉ କିଛି ଲୋକ ହୁଏତ କେବଳ ଆପଣଙ୍କ ଅପେକ୍ଷାରେ ଥିବେ!
ଜୀବନ ମାନେ ତ କାଲି ଦୁଃଖ ନୁହେଁ। ଦୁଃଖ ଅଛି ତ ସୁଖ ବି ଅଛି। ମଣିଷ ଯଦି ଦୁଃଖ ଅଛି ବୋଲି ଜାଣିପାରୁଛି, ତେବେ ସୁଖକୁ ନିଶ୍ଚୟ ଅନୁଭବ କରିଛି।
ଆମେ ଅନ୍ଧାରକୁ ଡରୁ। କିନ୍ତୁ ଅନ୍ଧାର ଯେ ଖରାପ, ଏ ଧାରଣା ଭୁଲ। ଖରାପ ତ ଆଖି ଝଲସାଇ ଦେଉଥିବା ଅତ୍ୟଧିକ ଆଲୋକ। “ ତୁ ଖରାପ। ତୋ ରଙ୍ଗ କଳା। ତୋ ରୂପ ବୀଭତ୍ସ। ତୋ ଚରିତ୍ର କୁତ୍ସିତ, କଦାକାର। ତୁ ଜୀବନରେ କିଛି କରି ପାରିବୁନି। ତୁ ଗୋଟେ ବିଫଳତାର ପ୍ରତୀକ”। ଏମିତି କେତେ କଥା ମଣିଷକୁ ଅନ୍ଧାର ଭିତରକୁ ଠେଲିଦିଏ। ସେ ଭାବେ, ତା ଜୀବନରେ କଳା ବାଦଲ ଘୋଟି ଯାଇଛି। ଆଉ କେବେ ତା ଜୀବନରେ ଜହ୍ନର ଜ୍ୟୋତ୍ସ୍ନା ଆସିବନି। କିନ୍ତୁ ମଣିଷ ଭୁଲିଯାଏ ଯେ ଅନ୍ଧାର ବିନା ଆଲୋକ ମୂଲ୍ୟହୀନ, ସ୍ଥିତିହୀନ। ଅନ୍ଧାର ନଥିଲେ ଆଲୋକକୁ ଦେଖିବ କେମିତି!
ଜୀବନ ଅଛି ତ ସ୍ଵପ୍ନ ଅଛି। ସ୍ଵପ୍ନ ଅଛି ତ ଆଶା ଅଛି। ଆଉ ଆଶା ଯେପର୍ଯ୍ୟନ୍ତ ବଞ୍ଚିଛି, ମଣିଷ ହାରିଯିବ କେମିତି!
ପ୍ରଥମେ ନିଜକୁ ନିଜେ ଭଲପାଇବା ଶିଖିବା ଉଚିତ। ନିଜ ମନକୁ, ନିଜ ଚିନ୍ତା, ଚେତନାକୁ ଏତେ ଦୃଢ଼ କରିବା ଉଚିତ ଯେ, ଯେପରି ସାମାନ୍ୟ ଆଘାତ ତାକୁ ଦୋହଲାଇ ପାରିବନି। ନିଜ ଭିତରେ ଏତେ ସାହସ ସଞ୍ଚୟ କରିବା ଉଚିତ ଯେ, ଯେମିତିକି କିଛି ବି ସମସ୍ୟା ଆସିଲେ ତା’ର ଦୃଢ଼ ମୁକାବିଲା କରିପାରିବା।
ମୁଁ, ଏହି ମୁଁକୁ ପ୍ରାଧାନ୍ୟ ଦେବା ଶିଖିବା ଉଚିତ। ମୁଁ ମାନେ ସ୍ୱାର୍ଥପରତା ନୁହେଁ। ମୁଁ ମାନେ ନିଜକୁ ଭଲପାଇବା।, ନିଜକୁ ନେଇ ନିଜେ ବଞ୍ଚିବା ଶିଖିବା। ମୁଁ, ଏଇ ମୁଁକୁ ବି ସେତିକି ଭଲପାଇବା ଦରକାର, ଯେତିକି ଆମେ ଅନ୍ୟକୁ ଭଲ ପାଉ।
‘ପାଦ କେବେ ଯିବନି ଥକି
ଜୀବନ ତଥାପି ଅଛି ବାକି।'
🥺♥️
ReplyDelete❣️
ReplyDeleteଆଃ, ଥକା ମାରି ଘଡ଼ିଏ ଅଟକି ଯାଉଥିବା ଜୀବନ ପୁଣିଥରେ ଆଗକୁ ବଢ଼ିବ, ପଛରେ ଅନ୍ଧାର କୁ ଥୋଇ ଦେଇ ଆଲୁଅ ର ବେଁଶିରା କୁ ନିଜେ ସଳଖିବ ଏଇ କଥା ସବୁ କେଡ଼େ ଚମତ୍କାର ଭାବେ ସଜେଇ ଦେଇଛନ୍ତି। ଏ ପୃଷ୍ଠା ରେ ପୁଲକ ଯେତେ ବିସ୍ମୟ ସେତେ। ଶୁଭେଚ୍ଛା ମ୍ୟାମ୍ ଚଲାପଥ କୁସୁମିତ ହେଉ
ReplyDeleteଧନ୍ୟବାଦ 🙏
ReplyDeletewahh,.... "ମଣିଷ ଅପସରି ଗଲେ ସମସ୍ୟା ତ ଅପସରି ଯିବନି"
ReplyDeletebut
"ମୁଁ ମାନେ ନିଜକୁ ଭଲପାଇବା"
I have been coming across this statement few times, i feel this is complex...As I am one (1) within myself, while LOVE is a business in between 2 people (sharing and bla bla).
Yes, I can know myself, I can assess my capabilities, I can weigh my confidence and all. ,, but How can I love MYself?
:- @Vicky