କଟକ

କଟକ 


 

ହଜାର ବର୍ଷର ପୁରୁଣା ସହର

ଯେତିକି ପୁରୁଣା ସେତିକି ନିଜର|


ବାଉନ ବଜାର ତେପନ ଗଳି

ବଖାଣି ବସିଲେ ନିଅଣ୍ଟ କାଳି|


ନୃପ କେଶରୀଙ୍କ ପରିକଳ୍ପନା

ବାଇମୁଣ୍ଡି ପୁଣି କରିଥିଲା ଚିନ୍ତା|


ଐତିହ୍ୟ ସଂସ୍କୃତି କଳାର ସହର

ରୂପା ତାରକସି ଚାନ୍ଦିର ସହର|


କଟକୀ ରାଣୀ ମା କଟକ ଚଣ୍ଡୀ

କଟକ ନଗର ମଉଡ ମଣି|


ନଅତଳ ପ୍ରାସାଦ ଦୁର୍ଗ ପ୍ରାଚୀର

ସାକ୍ଷୀ କଳିଙ୍ଗ ବୀର ପରାକ୍ରମର


କଳିଙ୍ଗ ଇତିହାସର ମୁକ ସାକ୍ଷୀ

ଗଡ଼ଖାଇର ହଜିଲା ସ୍ରୋତ

ଆଉ ଭଗ୍ନ ବାରବାଟୀ


ମହାନଦୀ ବୁକେ ନାଆଁ ମେଲେଇ

ସାଧବ ଯାଉଥିଲା ବଣିଜ କରି


ବିପଣି ବିକେ ପୁଣି ମେଲେଇ ପସରା

ସେଇ ନାମେ ଆଜି ଖ୍ୟାତ ବାଲିଯାତ୍ରା


ଭାଇଚାରାର ସହର, ଆପଣା ସହର

ସଭିଙ୍କୁ ଆପଣାଏ କରି ନିଜର

ନଥାଏ ଭେଦଭାବ ବାଛବିଚାର


ଦଶହରା ବି କଟକିଆର

ଇଦ୍ ବି କଟକିଆର

କଟକର ସବୁ ପର୍ବ କଟକିଆର


ସହର ଯାହାକୁ କରିଛି ନିଜର

ସହଜେ କି ସେ ତାକୁ କରିପାରେ ପର!




Comments

Popular posts from this blog

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

ସତରେ କଣ ସବୁ ପ୍ରତିସ୍ଥାପନୀୟ?