ପରିସମାପ୍ତିର ପୂର୍ବରୁ

ପରିସମାପ୍ତିର ଠିକ ପୂର୍ବରୁ

ସବୁକିଛି ପୁଣି କାହିଁକି

ଜୀବନ୍ତ ହୋଇଉଠେ!

ସ୍ମୃତିର ବକ୍ଷ ଚିରି

ଅତୀତ ଆଜି ଭାସି ଉଠେ

ଜଳଜଳ କରି ଆଖି ଆଗରେ

 

ଇତିର ଅୟମାରମ୍ଭ ଆଗରୁ

ଆରମ୍ଭ କାହିଁକି ଆଜି

ପୁନଶ୍ଚ ସ୍ଵପ୍ନ ଦେଖାଏ

ଆଉ ଏକ ନୂଆ ଆରମ୍ଭର!

ଭିନ୍ନ ମୋଡ ନେବାକୁ ଚାହେଁ

ଗତିପଥ ଜୀବନର,

ବଦଳାଇଦେବାକୁ ଚାହେଁ

ରୂପ ଇତିର।

 

ନାଟକରେ ଯବନୀକା ପଡିବା ଆଗରୁ

ଶେଷ ଦୃଶ୍ୟର ଠିକ ଆଗରୁ

ଭାସିଉଠନ୍ତି ମାନସପଟରେ

କାହାଣୀର ଚରିତ୍ର ସବୁ !

ଇଚ୍ଛା ହୁଏ ଭିନ୍ନ ରୂପ ଦେବାକୁ

କିଛି ଚରିତ୍ରକୁ ଲେଖିଦେବାକୁ

ଆଉ ଏକ ନୂଆ ରୂପରେ।

 

ସମୟ ସରିଆସୁଥିବା ବେଳେ

 ଅତୀତ କାହିଁକି ଜାବୁଡି ଧରେ

ଜୋରରେ, ଆହୁରି ଜୋରରେ!

 ନିଃଶ୍ଵାସ ଛାଡିଯାଉଥିବା ବେଳେ

ବିଶ୍ଵାସ କାହିଁକି ହୋଇଉଠେ

ଆହୁରି ଦୃଢରୁ ଦୃଢତର!

ଜୀବନର ଆସକ୍ତି ବାନ୍ଧି ବସେ,

ଆଉ କିଛି ସମୟ ବଞ୍ଚିଯିବାର ଆଶା

ଧରି ରଖିବାକୁ ଚାହେଁ ସମୟର ଡୋରି

ଚିରକାଳ ଲାଗି ନିଜ ହାତମୁଠାରେ।

 

ସବୁ ଶେଷର ଆରମ୍ଭ ଆଗରୁ

ହଠାତ ସବୁକିଛି ନୂଆ ରୂପରେ

ପରିକଳ୍ପନାର ଆରମ୍ଭ ହୁଏ

ହୃଦୟ କାହିଁକି ଉଦ୍‌ବେଳିତ ହୁଏ

ସବୁ ପରିସମାପ୍ତିର ଠିକ ଆଗରୁ!

 


Comments

  1. ପ୍ରଶ୍ନ ର ପ୍ରାଚୀର ଡେଇଁ, ସମୀକ୍ଷା ର ସନ୍ଧାନ ରେ ଅହଂ(ମୁଁ) କୁ ଖୋଜିପାଇବାର ଭିନ୍ନ ଏକ ତୃଷ୍ଣା ର ସଫଳ ଚିତ୍ରାୟନ। ଏକ ପ୍ରାଞ୍ଜଳ ଏବଂ ସ୍ପଷ୍ଟ ଚିତ୍ର ଟିଏ। ପ୍ରଣାମ ମ୍ୟାମ୍ ଚଲାପଥ କୁସୁମିତ ହେଉ ଆପଣଙ୍କର।

    ReplyDelete

Post a Comment

Popular posts from this blog

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

କଟକ

ସତରେ କଣ ସବୁ ପ୍ରତିସ୍ଥାପନୀୟ?