Jayadeva


ଉତ୍କଳୀୟ କାବ୍ୟଶାସ୍ତ୍ର ଜଗତର ଉଜ୍ଜ୍ବଳ ନକ୍ଷତ୍ର, ମହାନ ସଂସ୍କୃତ କବି, ଶ୍ରୀ ଗୀତଗୋବିନ୍ଦର ରଚୟିତା, ଯାହାଙ୍କର କାବ୍ୟ ସମ୍ପୂର୍ଣ୍ଣ କରିବାକୁ ସ୍ଵୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ କୁଟୀରରେ ପଦାର୍ପଣ କରିଥିଲେ, ସେ କବି ଜୟଦେବ।

ଜୟଦେବ ୧୨୦୦ ଖ୍ରୀଷ୍ଟାବ୍ଦରେ ପ୍ରାଚୀ ନଦୀ କୁଳରେ କେନ୍ଦୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ତାଙ୍କର ପିତାଙ୍କ ନାମ ଥିଲା "ଭୋଜଦେବ" ଓ ମାତାଙ୍କର ନାମ ଥିଲା "ବାମାଦେବୀ"। ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା "କୂର୍ମପଟକ"ଠାରେ ହୋଇଥିଲା । ମାତ୍ର କେତେକ ଭିତ୍ତିହୀନ ତଥ୍ୟକୁ ଆଧାର କରି ବଙ୍ଗୀୟ ଗବେଷକ ମାନେ କବିଙ୍କ ଜନ୍ମସ୍ଥାନ ବାଂଲାଦେଶ ବୋଲି ପ୍ରମାଣ କରିବାକୁ ବୃଥା ପ୍ରୟାସ ମଧ୍ୟ କରିଛନ୍ତି।

ମୈଥିଳୀ କବି ବିଦ୍ୟାପତି ଅଭିନବ ଗୀତଗୋବିନ୍ଦର ରଚୟିତା ହୋଇଥିବାରୁ କେତେକ ବିଶେଷଜ୍ଞ କବି ସମ୍ଭବତଃ ବିହାରର ତିରବୁତ୍ ନିକଟସ୍ଥ ବାହାନ ନଦୀ କୂଳରେ ଜନ୍ମ ହୋଇଥିବାର ମତ ପୋଷଣ କରନ୍ତି।

ଗଙ୍ଗ ବଂଶର ରାଜୁତି ସମୟରେ କବି ଜୟଦେବ ଗୀତଗୋବିନ୍ଦ ରଚନା କରିଥିଲେ। ଗୀତଗୋବିନ୍ଦ ଭକ୍ତି ଆନ୍ଦୋଳନରେ ଏକ ପ୍ରମୁଖ କାବ୍ୟ ଭାବରେ ସ୍ଥାନ ପାଇଛି। ଦ୍ଵାଦଶ ଶତାବ୍ଦୀରେ ରଚିତ ଏହି କାବ୍ୟ ଗ୍ରନ୍ଥରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳା ଅତି ଚମତ୍କାର ଭାବରେ ଦର୍ଶାଯାଇଛି। ଶ୍ରୀରାଧା ବୈଷ୍ଣବ ଧର୍ମର ଏକ ଅଭିନ୍ନ ଅଙ୍ଗ ହୋଇଯାଇଛନ୍ତି।

ଏଯାବତ ଶ୍ରୀ ଗୀତଗୋବିନ୍ଦର ପଚାଶ ଖଣ୍ଡ ଟୀକା ଓ ଶହେ ପଚାଶ ଅନୁରୂପ କାବ୍ୟ ରଚନା ହୋଇସାରିଛି। ବିଭିନ୍ନ ବୈଦେଶିକ ଭାଷା ଓ ଆଞ୍ଚଳିକ ଭାଷାରେ ମଧ୍ୟ ଅନୁବାଦ ହୋଇସାରିଛି।

ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦ୍ଵାରା "ଗୁରୁ ଗ୍ରନ୍ଥ ସାହେବ"ରେ ଲେଖାଯାଇଅଛି ।

ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।

ଜୟଦେବ ଶ୍ରୀମନ୍ଦିର ଭିତରେ 'ଦେବଦାସୀ' ପ୍ରଥାର ପ୍ରଚଳନ ଆରମ୍ଭ କରିଥିଲେ; ଏପରିକି କବିଙ୍କର ଗୀତଗୋବିନ୍ଦରେ ମାହାରୀ ନୃତ୍ୟ ପରିବେଷଣ ପାଇଁ ପୃଥକ ଏକ ନାଟମଣ୍ଡପ ମଧ୍ୟ ନିର୍ମାଣ କରାଯାଇଥିଲା।

ସମଗ୍ର ଭାରତବର୍ଷର ପ୍ରାତଃସ୍ମରଣୀୟ କବିମାନଙ୍କ ଭିତରେ ଉତ୍କଳୀୟ କବି ଜୟଦେବ ନିଃସନ୍ଦେହରେ ଜଣେ ଅପ୍ରତିଦ୍ଵନ୍ଦୀ କବି।

Comments

Popular posts from this blog

ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ

କଟକ

ସତରେ କଣ ସବୁ ପ୍ରତିସ୍ଥାପନୀୟ?